କଟକ,୨୮/୧୦(ଶୁଭମ ନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ଗ୍ରାମପଞ୍ଚାୟତର ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ପଞ୍ଚାୟତର ୨୨ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହାକୁ ଆଧାର କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ ଅଗଷ୍ଟ ୧୩ ତାରିଖରେ ଅନାସ୍ଥା ଭୋଟିଂ ପ୍ରକ୍ରିୟା କରାଯାଇଥିଲା। ପ୍ରଶାସନିକ ସ୍ତରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଚାମେଲି ଓଝା ଓଡ଼ିଶା ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରି ଏହାକୁ ଚ୍ୟାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଚାମେଲି ଓଝାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ଧାରା ୨୪ (Section 24 of the Odisha Gram Panchayat Act) ଅନୁଯାୟୀ ଯେଉଁ ବାଧ୍ୟତାମୂଳକ ନିୟମ ଓ ପ୍ରକ୍ରିୟା ରହିଛି, ପ୍ରଶାସନ ତାହାକୁ ସଠିକ ଭାବେ ପାଳନ କରିନାହିଁ। ନିୟମ ଅନୁସାରେ ସରପଞ୍ଚଙ୍କୁ ଆଗୁଆ ୧୫ ଦିନର ନୋଟିସ ଏବଂ ସଂକଳ୍ପପତ୍ରର ନକଲ ପ୍ରଦାନ କରାଯିବା କଥା, ଯାହା କରାଯାଇ ନଥିଲା। ସେଥିପାଇଁ ହାଇକୋର୍ଟ ସମ୍ପୂର୍ଣ୍ଣ ଅନାସ୍ଥା ପ୍ରକ୍ରିୟା ଓ ନିର୍ବାଚନକୁ ବାତିଲ ଏବଂ ଅସିଦ୍ଧ ଘୋଷଣା କରିଛନ୍ତି। ଉଚ୍ଚ ନ୍ୟାୟାଳୟରୁ ନ୍ୟାୟ ମିଳିବା ପରେ ଚାମେଲି ଓଝା ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, “ଏହା ସତ୍ୟ ଓ ଧର୍ମର ବିଜୟ। ମୋ ବିରୋଧରେ ହୋଇଥିବା ରାଜନୈତିକ ଷଡ଼ଯନ୍ତ୍ର ଫେଲ ମାରିଛି ା ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞତା ଜଣାଉଛି ଏବଂ ମୋତେ ସମର୍ଥନ କରିଥିବା ସାରା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଉଛି”।
