ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ୪୦୦ ପ୍ରତିନିଧି
କଟକ,୦୫/୦୯(ଶୁଭମ ନ୍ୟୁଜ): କଟକର ଐତିହାସିକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମଠାରେ ଆଜି (୫ ସେପ୍ଟେମ୍ବର ୨୦୨୬) ଅପରାହ୍ନ ୩ଟାରୁ ବିଜେପିର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଏହା ଦଳର ପ୍ରଥମ ବଡ଼ ସାଂଗଠନିକ ବୈଠକ, ଯାହା ଆଗାମୀ ରାଜନୈତିକ ସମୀକରଣ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ା ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଧ୍ୟକ୍ଷତା କରୁଥିବା ବେଳେ ଏହାକୁ ବିଜେପି ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, କେନ୍ଦ୍ରୀୟ ନେତା ବି.ଏଲ୍. ସନ୍ତୋଷ, ରାଜ୍ୟର ସମସ୍ତ ବିଜେପି ସାଂସଦ, ବିଧାୟକ ଏବଂ ବିଭିନ୍ନ ନିଗମର ଚେୟାରପର୍ସନଙ୍କ ସମେତ ୪୦୦ରୁ ଅଧିକ ପ୍ରତିନିଧି ସାମିଲ ହେଉଛନ୍ତି।
ଆସନ୍ତା ବର୍ଷ (୨୦୨୭) ଫେବୃୟାରୀ-ମାର୍ଚ୍ଚ ମାସରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ପାଇଁ ଦଳ ଏବେଠାରୁ ରଣନୀତି ପ୍ରସ୍ତୁତ କରିବ। ତୃଣମୂଳ ସ୍ତରରେ ଭୋଟ୍ ବ୍ୟାଙ୍କ ମଜବୁତ କରିବା ଦଳର ପ୍ରଥମ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ବହୁପ୍ରତୀକ୍ଷିତ ‘ସୁଭଦ୍ରା ଯୋଜନା’ ଏବଂ ‘ସିଏମ୍-କିଷାନ’ ଭଳି ଲୋକାଭିମୁଖୀ ଯୋଜନାଗୁଡ଼ିକୁ କିପରି ପ୍ରତି ଘରେ ଘରେ ପହଞ୍ଚାଯାଇପାରିବ, ସେ ନେଇ କର୍ମକର୍ତ୍ତାମାନଙ୍କୁ ସ୍ୱତନ୍ତ୍ର ଟାସ୍କ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଚାଉଳ ଉଠାଣ ବିବାଦ ଏବଂ ବିରୋଧୀ ବିଜେଡିର ଆକ୍ରମଣର ମୁକାବିଲା କିପରି କରାଯିବ, ସେ ନେଇ ମଧ୍ୟ ରାଜନୈତିକ ଚିଠା ପ୍ରସ୍ତୁତ ହେବ। ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ବିଭିନ୍ନ ସରକାରୀ ବୋର୍ଡ ଓ ନିଗମର ପଦବୀଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରିବା ଦିଗରେ ବୈଠକରେ ଆଲୋଚନା କରାଯାଇପାରେ।
