ଭୁବନେଶ୍ବର,୦୫/୦୯(ଶୁଭମ ନ୍ୟୁଜ୍‌): ଶିକ୍ଷକ ଦିବସ ବା ଗୁରୁ ଦିବସ ଆଜି ସାରା ଦେଶରେ ବେଶ୍ ଧୂମଧାମରେ ପାଳନ କରାଯାଉଛି। ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଏ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଭବ୍ୟ ସମାରୋହରେ ଭାରତର ମାନ୍ୟବର ରାଷ୍ଟ୍ରପତି ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇଥିବା ମେଧାବୀ ଓ କୃତୀ ଶିକ୍ଷକମାନଙ୍କୁ ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରି ସମ୍ମାନିତ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ଓଡ଼ିଶାର କୃତୀ ଶିକ୍ଷକମାନେ ନିଜର ଉଲ୍ଲେଖନୀୟ ଶିକ୍ଷାଦାନ ଶୈଳୀ ପାଇଁ ଏହି ସ୍ୱତନ୍ତ୍ର ଜାତୀୟ ପୁରସ୍କାର ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶ ତଥା ରାଜ୍ୟର ସମସ୍ତ ଶିକ୍ଷକ ସମାଜକୁ ଗୁରୁ ଦିବସର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଏବଂ ସମାଜର ବିକାଶରେ ଶିକ୍ଷକମାନଙ୍କର ଭୂମିକା ଅତୁଳନୀୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ନିଜ ନିଜର ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ, ଉପହାର ଦେଇ ପ୍ରଣାମ କରୁଛନ୍ତି ଏବଂ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ବିଦ୍ୟାଳୟମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୁରୁ-ଶିଷ୍ୟ ପରମ୍ପରା ଉପରେ ବିଭିନ୍ନ ଆଲୋଚନା ସଭା ଆୟୋଜିତ ହୋଇଛି।

ପବିତ୍ର ଗୁରୁ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଶିକ୍ଷକ ଓ ଗୁରୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇବା ସହ ଏହାକୁ ବିଶେଷ ଭାବେ ପାଳନ କରିଛନ୍ତି। ସେ ନିଜେ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଶିକ୍ଷକ ଥିବାରୁ, ଏହି ଦିବସ ସହିତ ତାଙ୍କର ଏକ ସ୍ୱତନ୍ତ୍ର ଓ ଆବେଗପୂର୍ଣ୍ଣ ସମ୍ପର୍କ ରହିଛି। ମୁଖ୍ୟମନ୍ତ୍ରୀ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ତାଙ୍କ ପ୍ରତିଭା ଓ ଆଦର୍ଶକୁ ମନେ ପକାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର କୃତୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଝୁମ୍ପୁରାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରାୟ ସାଢ଼େ ୩ ବର୍ଷ ଧରି ଶିକ୍ଷକତା (ଗୁରୁଜୀ ଭାବେ) କରିଥିଲେ। ଗୁରୁ ଦିବସ ଅବସରରେ ଏକ ସାକ୍ଷାତକାରରେ ସେ ନିଜର ସେହି ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ, ସେହି ସମୟର ଅନୁଭୂତି ତାଙ୍କୁ ସମାଜସେବା କରିବା ପାଇଁ ଅନେକ ଶିକ୍ଷା ଦେଇଛି ଏବଂ ଆଜି ମଧ୍ୟ ସେ ଶିକ୍ଷକମାନଙ୍କ ସମସ୍ୟାକୁ ଖୁବ୍ ଭଲ ଭାବେ ବୁଝିପାରନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେତେକ ପ୍ରମୁଖ ଘୋଷଣା ଓ ଆହ୍ୱାନ କରିଛନ୍ତି। ଭାରତୀୟ ସନାତନ ସଂସ୍କୃତିରେ ‘ଗୁରୁ-ଶିଷ୍ୟ’ ପରମ୍ପରା ସବୁଠାରୁ ଶ୍ରେଷ୍ଠ। ଶିକ୍ଷକମାନେ ହିଁ ଦେଶର ଭବିଷ୍ୟତ ତଥା ନୂତନ ପିଢ଼ିର ପ୍ରକୃତ ନିର୍ମାତା। ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବିଦ୍ୟାଳୟ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବା ଏବଂ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ମଧ୍ୟାହ୍ନ ଭୋଜନ ଏବଂ ‘ଶହୀଦ ମାଧୋ ସିଂହା ହାତଖର୍ଚ୍ଚ’ ଯୋଜନା ଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ଏବଂ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି।