ସୁନ୍ଦରଗଡ଼,୦୫/୦୯(ଜେଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ସାଙ୍ଗକୁ ଘନ କୁହୁଡ଼ିର ଏକ ବିରଳ ଓ ମନୋରମ ପରିବେଶ ଦେଖିବାକୁ ମିଳିଛି। ସାଧାରଣତଃ ଶୀତଦିନେ କୁହୁଡ଼ି ହେଉଥିବା ବେଳେ ବର୍ଷା ସମୟରେ ଏଭଳି ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି। ଗୋଟିଏ ପଟେ ଆକାଶରୁ ଝିପିଝିପି ବର୍ଷା ହେଉଥିବା ବେଳେ ଅନ୍ୟପଟେ ସକାଳୁ ସକାଳୁ ସମଗ୍ର ବଣାଇ ସହର ଓ ଏହାର ଆଖପାଖ ଅଞ୍ଚଳ କୁହୁଡିର ଧଳା ଚାଦରରେ ଢାଙ୍କି ହୋଇ ରହିଛି। କୁହୁଡି ଅଧିକ ଘନ ଥିବାରୁ ଦୃଶ୍ୟମାନତା କମିଯାଇଛି। ଯାହାଫଳରେ ସକାଳ ସମୟରେ ଗାଡ଼ିମୋଟର ଚଳାଚଳରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି। ଚାଳକମାନେ ହେଡ୍‌ଲାଇଟ୍ ଜଳାଇ ଧୀରେ ଧୀରେ ଯାତାୟାତ କରୁଛନ୍ତି। ବର୍ଷା ଦିନେ ଏଭଳି କୁହୁଡିମୟ ପରିବେଶ ସୋସିଆଲ ମିଡିଆ ଏବଂ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଏହାର ଭିଡିଓ ଓ ଫଟୋ ସେୟାର କରୁଛନ୍ତି।