ରାୟଗଡ଼ା,୨୮/୦୮(ଶୁଭମ ନ୍ୟୁଜ୍): ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ତାୟନଗିରି (Tayangiri) ଜଳପ୍ରପାତରେ ସେଲ୍ଫି ନେବା ବେଳେ ଗୋଡ଼ ଖସି ଜଣେ ଯୁବକ ପାଣିରେ ଭାସିଯାଇ ନିଖୋଜ ହୋଇଛନ୍ତି। ଗତକାଲି (ଗୁରୁବାର) ସନ୍ଧ୍ୟା ସମୟରେ ଏହି ଦୁଃଖଦ ଅଘଟଣ ଘଟିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି ଗୋଡ଼ିବାଲି ପଞ୍ଚାୟତର ଜେରେକା ଗ୍ରାମର ଜୋକା ବିଷୋୟୀ। ସେ ନିଜର ୪-୫ ଜଣ ସାଙ୍ଗମାନଙ୍କ ସହ ତାୟନଗିରି ଜଳପ୍ରପାତ ବୁଲିବାକୁ ଯାଇଥିଲେ। ସେଠାରେ ଏକ ପଥର ଉପରେ ଠିଆ ହୋଇ ସେଲ୍ଫି ପୋଜ୍ ଦେଉଥିବା ସମୟରେ ହଠାତ୍ ତାଙ୍କର ଭାରସାମ୍ୟ ବିଗିଡ଼ି ଯାଇଥିଲା ଓ ସେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଖବର ପାଇ କାଶୀପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ଏବଂ ବିଳମ୍ବିତ ରାତିରେ ଅନ୍ଧାର ଯୋଗୁଁ ଗତକାଲି ସନ୍ଧାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ଆଜି ମଧ୍ୟ ତାଙ୍କୁ ଖୋଜିବା ପାଇଁ ରେସକ୍ୟୁ ଅପରେସନ୍ ଜାରି ରହିଛି। ବର୍ଷା ଦିନେ ଜଳପ୍ରପାତଗୁଡ଼ିକରେ ପାଣିର ସ୍ରୋତ ଅଧିକ ଥିବାରୁ ପ୍ରଶାସନ ପକ୍ଷରୁ ସେଲ୍ଫି ନେବା କିମ୍ବା ପାଣି ପାଖକୁ ଯିବାକୁ ବାରଣ କରାଯାଉଛି।
